1 ଆପେ ସେଲା ସାହାର୍ଏତେ ବିର୍ ହରା ସେନ୍କେଦ୍ତେ, ଏନ୍ ଦିଶୁମ୍କେ ରାଇଜ୍ ଚାଲାଅତାନ୍ନିଃ ନାଗେନ୍ତେ ସିୟୋନ୍ କୁଡ଼ିରାଃ ବୁରୁତେ ମିଣ୍ଡିହନ୍କେ କୁଲିପେ। 2 ଚିୟାଃଚି ମୋୟାବ୍ରେନ୍ କୁଡ଼ିକ ଅର୍ଣ୍ଣୋନ୍ ଗାଡ଼ା ପାରମ୍ ଇମ୍ତା ଆଫିର୍ତାନ୍ ଅଡ଼େ ଲେକା ଓଡ଼ୋଃ ଛିତିବିତିକାନ୍ ତୁକା ଲେକା ହବାଅଃଆକ।
3 ମୋୟାବ୍ରେନ୍ ହଡ଼କ ଯିହୁଦାରେନ୍ ହଡ଼କକେ କାଜିକତାନାକ, "ଉହାଟ୍ ଆଚୁକପେ, ଓଡ଼ୋଃ ଇନ୍କୁଆଃ ବିଚାର୍ ରିକାଏପେ। ତିକିନ୍ ସିଙ୍ଗିରେୟାଃ ସିତୁଙ୍ଗ୍ ଇମ୍ତା ନୁବାଃ ଲେକା ଉମ୍ବୁଲ୍ ଏମାକପେ। ଉକୁକେଦ୍ତେ ନିରାକାନ୍ ହଡ଼କକେ ଉକୁକପେ, ଆସ୍ରା ଇଦିତାନ୍କକେ ଆଲପେ ଉଦୁବ୍କଆ। 4 ମୋୟାବ୍ରେନ୍ ଉକୁକେଦ୍ତେ ନିରାକାନ୍ ହଡ଼କକେ ଆପେଲଃ ତାଇନ୍ ଇଚିକପେ। ଜିୟନ୍ ରିକାତାନ୍ନିୟାଃ ତିଃଇଏତେ ଇନ୍କୁକେ ବାଞ୍ଚାଅକପେ।"
ଚିୟାଃଚି ସିଗିଦ୍ ରିକାତାନ୍ନିୟାଃ ଦିପିଲି ଟୁଣ୍ଡୁଃଆ। ଜିୟନଃରେୟାଃ ଟୁଣ୍ଡୁ ଦିପିଲି ସେଟେରାଃ ଓଡ଼ୋଃ ନକ୍ସାନ୍ ରିକାତାନ୍ନିଃ ଦିଶୁମ୍ଏତେ ଜିୟନଃଆ। 5 ଇମ୍ତା ଦୁଲାଡ଼୍ ଓଡ଼ୋଃ ଦାୟାତେ ମିଆଦ୍ ରାଜ୍ଗାଦି ବାଇୟଃଆ, ସାର୍ତି ଓଡ଼ୋଃ ପାତିୟାର୍ରଃ ହରାତେ ଏନା ସିଙ୍ଗାର୍ରଃଆ, ଓଡ଼ୋଃ ଏନାରାଃ ଚେତାନ୍ରେ ଦାଉଦ୍ଆଃ କିଲିଏତେ ମିହୁଡ଼୍ ଦୁବାଃଏ। ଇନିଃ ନ୍ୟାୟରେୟାଃ କାଜିକେ ଅତଙ୍ଗ୍ ତାନ୍ଲଃ ବିଚାର୍ ରିକାୟାଏ, ଓଡ଼ୋଃ ଧାର୍ମାନ୍ରେୟାଃ କାଜିକେ ଠାହାରାଅ କେଦ୍ତେ ଦହ ନାଙ୍ଗ୍ ଯାତାନ୍ ରିକାୟା। 6 ଆଲେ ମୋୟାବ୍ରାଃ ମାରାଙ୍ଗ୍ୟେଁନ୍ ବିଷାଏରେ ଆୟୁମ୍କେଦାଲେ, ଇନିଃ ପୁରାଃଗି ମାରାଙ୍ଗ୍ୟେଁନ୍, ହିସିଙ୍ଗା ରିକାତାନ୍, ଢିଟ୍ ଓଡ଼ୋଃ କା ବରତାନ୍ନିଃ ତାନିଃ, ଏନା ସାରିକାଦାଲେ। ମେନ୍ଦ ଇନିୟାଃ ନେ ସବେନ୍ ମାରାଙ୍ଗ୍ୟେଁନ୍ ସାମା ତାନାଃ। 7 ଏନାମେନ୍ତେ ମୋୟାବ୍ରେନ୍ ହଡ଼କ ଏୟମ୍ ତାନାକ। ସବେନ୍କ ମେସାକେଦ୍ତେ ମୋୟାବ୍ ନାଙ୍ଗ୍ ଏୟମ୍ ତାନାକ। ଆପେ ସବେନ୍କ କିର୍ହାର୍ସତ୍ରାଃ ବୁଗିନ୍ ଜମେୟାଃ ପାହାମ୍କେଦ୍ତେ ରାନାଃ ଓଡ଼ୋଃ ଏୟମ୍ ରିକାଏୟାପେ। 8 ହିଷ୍ବୋନ୍ରାଃ ପିଡ଼ିକ ଓଡ଼ୋଃ ଶିବ୍ମାରାଃ ଦାଖ୍ନାଡ଼ି ହାଦୁଡ଼ାକାନା। କିଲିରେନ୍ ଗମ୍କେକ ବୁଗିନ୍ ଦାଖ୍ ଜ' ଝୁପାକକେ କାଟାଲଃ ତିକାକେଦାକ। ନେ ସବେନାଃ ଯାସେର୍ ଜାକେଦ୍ ପାସ୍ରାଅୟାନା, ଓଡ଼ୋଃ ବିର୍ରେୟାଃ ପାର୍ଗାନ୍ ଜାକେଦ୍ ପାସ୍ରାଅକାନ୍ ତାଇକେନା। ଏନାରାଃ ସବେନ୍ କତ ଚାରିଓସାଃ ହାରା ଇଦିୟାନା ଓଡ଼ୋଃ ଦରେୟା ହାନ୍ ପାରମ୍ ଜାକେଦ୍ ପାସ୍ରାଅୟାନା। 9 ଏନାମେନ୍ତେ ଯାସେର୍ ଏୟମ୍ତାନ୍ ଲେକା ଆଇଙ୍ଗ୍ ଶିବ୍ମାରାଃ ଦାଖ୍ନାଡ଼ି ନାଗେନ୍ତେ ଏୟମ୍ ତାନାଇଙ୍ଗ୍। ହେ ହିଷ୍ବୋନ୍ ଓଡ଼ୋଃ ଏଲିୟାଲି, ଆଇଙ୍ଗ୍ ଆପେକେ ମେଦ୍ ଦାଆଃତେ ଲୁମ୍ପେ ତାନାଇଙ୍ଗ୍। ଚିୟାଃଚି ଆପେୟାଃ ବିଲିକାନ୍ ଜ ଓଡ଼ୋଃ ଇରାକାନ୍ ଜ ନାଗେନ୍ତେ ଅକ ରାସ୍କା ହବାଅଃତାଇକେନା, ଏନା ନାହାଁଃଦ ସିଃସଏଃ ହବାକାନା। 10 ବୁଗିନ୍ ହାଁସା ପିଡ଼ିଏତେ ଲାନ୍ଦା ଓଡ଼ୋଃ ରାସ୍କା ସାଙ୍ଗିନାକାନା, ଦାଖ୍ବାକ୍ଡ଼ିରେ ଦୁରାଙ୍ଗ୍ କା ଆୟୁମଃତାନା ଓଡ଼ୋଃ ରାସ୍କାରେୟାଃ କାଜିକ କା ଆୟୁମଃତାନା। ଦାଖ୍ ପେରାଅ ଘାନାରେ ଜେତାଏ ହଁ ଦାଖ୍ରାସି କାକ ଅଡଙ୍ଗ୍ୟେଁଆ, ଚିୟାଃଚି ଆଇଙ୍ଗ୍ ରାସ୍କା କାଜିକ ହକା କାଦାଇଙ୍ଗ୍। 11 ଏନାମେନ୍ତେ ମୋୟାବ୍ ନାଙ୍ଗ୍ ଆଇଁୟାଃ ଜୀଉ ବାନାମ୍ ସାଡ଼ି ଲେକା ଏୟମ୍ ରିକା ତାନାଏ। କିର୍ହେରସ୍ ନାଗେନ୍ତେ ଆଇଁୟାଃ ମନ୍ସୁରୁଦ୍ ପୁରାଃଗି ରାଆଃ ତାନା। 12 ମୋୟାବ୍ରେନ୍ ହଡ଼କ ପୁଜା ଠାୟାଦ୍ ଚେତାନ୍ ସେନ୍କେଦ୍ତେ ଏସ୍କାର୍ ଲାଗାନ୍ତାନାକ। ଇନ୍କୁ ବିନ୍ତି ରିକା ନାଗେନ୍ତେ ପୁଜା ଠାୟାଦ୍ ସେନ୍କେଦ୍ତେ ଏସ୍କାର୍ ହାରାଅକାନାକ।
13 ପ୍ରାଭୁ ମୋୟାବ୍ ନାଗେନ୍ତେ ନେ ସବେନାଃ ସିଦାରେ କାଜିକାଦ୍ ତାଇକେନା। 14 ମେନ୍ଦ ପ୍ରାଭୁ ନାହାଁଃ କାଜିତାନାଏ, "କିରିଙ୍ଗ୍ୟାଁକାନ୍ ଦାସି ଆୟାଃ କାମିତାନ୍ ଦିପିଲି ଟୁଣ୍ଡୁ ହବାଅଃ ସିଦାରେ ଦିନ୍ବାର୍ ଲେକାକାତେୟାଃଏ, ଏନ୍ଲେକାଗି ଆପି ସିର୍ମା ଟୁଣ୍ଡୁ ହବାଅଃ ସିଦାରେ ମୋୟାବ୍ରାଃ ମାଇନାନ୍ କା ତାଇନାଃ, ଏନ୍ତାଃରେନ୍ ହଡ଼କ ପୁରାଃଗି ହବାଅଃ ରେୟଗି କାଟିକାନ୍ ସାରେଜାକାନ୍ ତାଇନାଃକ ଓଡ଼ୋଃ ନାରାଦୁରାଗି ତାଇନାଃକ।"